Silpira Swara – Delhi Poetry Slam

Silpira Swara

By Alok Kumar Sahu

"ଶିଳ୍ପୀର ସ୍ଵର" 

ଶିଳାର ଶରୀରେ       ଶ୍ରଦ୍ଧା ଆଞ୍ଜୁଳିରେ 
         ମନ ଭାବନାକୁ ତୋଳି, 
ଜଡ଼ତା ଭିତରେ       ଜୀବନ ପ୍ରଦୀପ 
         ପଦ୍ମ ପତ୍ରେ ଗଲ ଖଞ୍ଜି  ।।୧।

କେଉଁ ବିଧାନର        ବାହକ ସାଜିଲ
         କଳା କାରିଗରୀ ପଢ଼ି,
ଆଙ୍କିଗଲ କୀର୍ତ୍ତି       ଅମ୍ଳାନ ମୂରତି 
       ସପ୍ତାଶ୍ଚର୍ଯ୍ୟେ ହେଲ ଖ୍ୟାତି  ।।୨।

ବାରଶ ବଢେଇ       ପାଇଲ ଜୀବନ 
        ଧରମାକୁ ଦେଇ ବଳୀ,
ଧରମ ଦେବତା       ଲଭିଲେ ପୂର୍ଣ୍ଣତା 
        ମୁକୁଟ ପିନ୍ଧିଲେ ବୋଲି  ।।୩।

ଉତ୍କଳ ପ୍ରଦେଶ      କଳାର ନଗର 
         ସଂସ୍କୃତିର ଚରାବାଲି,
କର୍ମ-ଭକ୍ତି-ଜ୍ଞାନ      ମୁକତି ପୀରତି 
        ଏକଠାବେ ଯହିଁ ମିଳି  ।।୪।

ଇତିହାସ ପୃଷ୍ଠେ       କୋଣାର୍କ ପୀଠରେ 
       ସୂର୍ଯ୍ୟ ଦେବତାଙ୍କ ସ୍ଥିତି,
ଲେଖିଗଲେ ଗୀତି      ନିହାଁଣ ମୁନରେ 
       ଶିଳ୍ପୀର ସ୍ପନ୍ଦନ ଖୋଲି  ।।୫।

ଆତତାୟୀ ହନ୍ତା      ଭଗ୍ନ ମନ୍ଦିର ଏ 
      ଭଙ୍ଗା ନୁହେଁ ତାର ସୃଷ୍ଟି,
ଆଜିବି ବୁଣୁଚି        ସରଗ ସୁଷମା 
      ଦେଖି ହୁଏ ଆତ୍ମା ତୃପ୍ତି  ।।୬।

ପ୍ରତି ଶିଳା ଏଠି       ଜୀବନ୍ତ ପ୍ରତିମା
      ସତେ ଆଜ୍ଞା ପାଳୁଛନ୍ତି,
ସ୍ଥିର ଚିତ୍ତ ହୋଇ     ହୃଦେ କୋହ ବୋହି 
       ସ୍ମିତେ କଳା ପ୍ରଦର୍ଶନ୍ତି   ।।୭।

ବିଶୁମହାରଣା        କି ମନ୍ତ୍ର ବୁଣିଲା 
         ସବିତା ପୟକୁ ଧ୍ୟାୟୀ,
ବାରଶ ବଢେଇ       ତଲ୍ଲୀନ ହୋଇଲ 
      କର୍ମ ଯଜ୍ଞେ ଯୋଗୀ ହୋଇ ।।୮।

ବାରଶ ପରାଣ        ଶରୀରରୁ ଭିନ୍ନ 
     ରବି ପାଦେ ଚିତ୍ତ ଥୋଇ,
ଫୁଟାଇଲ ପଦ୍ମ         ଚଳନ୍ତି ରଥର 
     ଅଶ୍ୱ ଯହିଁ ଯୋଚା ଥାଇ  ।।୯।

କେଉଁ ବିଶ୍ଵକର୍ମା      ଶ୍ରୀମୁଖୁ ଶିଖିଲ 
       କଉଶଳ କାରିଗରୀ,
ଗିରି ସମ ସୂର୍ଯ୍ୟ      ସିଦ୍ଧ ଦେବାଳୟେ 
       ପ୍ରତି ବିନ୍ଦୁ ଇନ୍ଦୁ ବୋହି  ।।୧୦।

ଅବନୀରୁ ଜାତ      ଜୀବନ ସମ୍ଭୂତ 
        ବିସ୍ମୟ ମାନସ ଆଜି,
କାମ ଶାସ୍ତ୍ର କୃତି     ନିଖୁଣେ ବର୍ଣ୍ଣିଲ
       ଜିତେନ୍ଦ୍ରୀୟ ପୁର ଖୋଜି   ।।୧୧।

କେଉଁଭାବେ ଭବେ     ଖଞ୍ଜିଲ ମୂରତି 
       ରତିକୃତେ ଦେହେ ମୁକ୍ତି,
ପ୍ରକୃତି-ପୁରୁଷ        ପାର୍ଥିବ ମିଳନୁ 
        ସୃଷ୍ଟିର ବୀଜ କଅଁଳି   ।।୧୨।

ମିଳନରେ ମୋକ୍ଷ    ସାନିଧ୍ୟରେ ଶ୍ରେଷ୍ଠ
       ନିର୍ଯ୍ୟାସ ଶାସ୍ତ୍ରରୁ ତୋଳି,
ରଚାଇଲ ଦିଗ         ପୀରତି ପରବ 
       ବିଭୁ କୃପା ବାରି ଘେନି   ।।୧୩।

ଅଗଣିତ ଭକ୍ତ       ଦର୍ଶନେ ପ୍ରତ୍ୟହ 
       ଅର୍କକ୍ଷେତ୍ରେ ବିରାଜନ୍ତି,
କିଏ ଲଭେ ଶାନ୍ତି    ଅବା କେ ଅତୃପ୍ତି 
       ଇନ୍ଦ୍ରିୟ କବଳେ ପଡ଼ି   ।।୧୪।

ଯିଏ ଭେଦିପାରେ    ମାୟାର ପଞ୍ଜୁରୀ 
       ଲଭଇ ରବି ଶକତି,
ନପାରିଲେ ଭେଦି    ଭବେ ହବ ଛନ୍ଦି 
         ଜନ୍ମ ମୃତ୍ୟୁ ଚକ୍ର ଏହି   ।।୧୫।

ନିହାଣ ଶବଦ        ଆଜିବି ଶୁଭିବ 
      ଶୁଣ ଥରେ କାନ ଡେରି,
ଦିନେ ନୁହଁ ମାସ      ବରଷ କଷଣ 
       ବିତାଉଥିଲେ ବଢେଇ   ।।୧୬।

ପିତା ପୁତ୍ର କନ୍ୟା      ଭାରିଯା ଉପେକ୍ଷି
       ଆସିଥିଲେ ସର୍ବେ ଧାଇଁ,
ଭାଙ୍ଗିବେ ପଥର        ଗଢିବେ ବିଗ୍ରହ 
        ସେନାଧ୍ୟକ୍ଷ ବାର୍ତ୍ତା ବୋହି  ।।୧୭।

ପାଳିଛନ୍ତି ବ୍ରତ         ତେଜିଛନ୍ତି ସାଖ୍ୟ 
      ପରିବାର ସ୍ନେହ ପ୍ରୀତି,
ସତ୍ୟ ନିଷ୍ଠ କର୍ମ       କରି ଆଭୂଷଣ 
       ଦେଇଛନ୍ତି ଶ୍ରେଷ୍ଠ ଭେଟି   ।।୧୮।

ପାଷାଣୁ ପ୍ରତିମା        ଭରି ଜୀବନିକା 
       ଶୃଙ୍ଗାର ସୁଷମା ଲେପି,
ପ୍ରଣୟ ପଲ୍ଲବେ        ସନ୍ଧି କାମଶର 
       ପ୍ରେମସୁଧାନିଧି ସ୍ଥାପି   ।।୧୯।

ଏ ସ୍ନିଗ୍ଧ ଭାବନା         ଶୀତଳ ଶରଧା 
        ମନ ମନ୍ଦିରରେ ଭାଳି 
ଗୃହ ସୁଖ ଶାନ୍ତି         ବରଜି ହୃଦୟୁ 
         ପଥରକୁ କଲ ସାଥୀ    ।।୨୦।

ତେଣୁକରି ସିନା         ପାଷାଣ ପ୍ରତିମା 
         ଲଭିଲା ଜୀବ ଶକତି,
ବିରୋହ ବେଦନା       ଗତ ମଧୁ ତୃଷ୍ଣା 
        ଆଙ୍କେ ଶିଳ୍ପୀ ତୂଳୀ ଧରି   ।।୨୧।

ଯଦି କା'ର ସ୍ମୃତି         ସନ୍ଦେହ କରୁଛି 
        ଯାଇ ଦେଖ ଶିଳା କାଢି,
କୋଣାର୍କ କାନ୍ଥରୁ      ଶାଣିତ ଝରୁଛି 
          କସ୍ତୁରୀ ସୁରଭି ଭଳି   ।।୨୨।

କୋଟି କୋଟି ପ୍ରାଣ      ବିମୋହିତ ଆଜି 
         କାରୁକାର୍ଯ୍ୟ ଶିରି ଦେଖି,
ଏ ଶିରି ସୁଷମା          ମୂଳେ କା ଜୀବାତ୍ମା 
         ସାଧନାର ବୁଣେ ମଞ୍ଜି   ।।୨୩।

ଚଉଦ ବରଷ         ତେଜି ରାଜ କାର୍ଯ୍ୟ 
         ପିତା ଆଜ୍ଞା ଶ୍ରଦ୍ଧେ ପାଳି,
ଉଦ୍ଧାରିଲ ମହୀ        ଦାନବ କବଳୁ 
         ସ୍ଥାପିଲ ଶାନ୍ତି ମଇତ୍ରୀ   ।।୨୪।

ପତ୍ନୀ ଉଦ୍ଧାରିବା        ପଣରେ ନୃପତି 
        ହେଲେ ବ୍ରତେ ବନଚାରି,
ବିନାଶି ଲଙ୍କେଶ      ଉଦ୍ଧାରିଲେ ମାତ
        ମର୍ଯ୍ୟାଦା ପୁରୁଷ ଧ୍ୟାୟୀ   ।।୨୫।

ଅର୍କକ୍ଷେତ୍ରେ ଶ୍ରେଷ୍ଠ        ରବିଙ୍କର ପାଦ 
            କରୁଣାର ମନ୍ଦ୍ର ଗିରି,
ହୋଇଛି ଜନମ        ବ୍ରତରୁ ସଂଭୂତ 
           ବାର ବର୍ଷ ତ୍ୟାଗ ସହି   ।।୨୬।

ମାଟିର ମହକ        ସଂସ୍କୃତି ଝଲକ 
        ଜଗତେ ବିଦିତ ଆଜି,
 ମହାରଣା ପୁଅ       ମହା ସଙ୍କଳ୍ପି ସେ 
       ଶିଳ୍ପୀର ଶବଦେ ଲେଖି   ।।୨୭।


Leave a comment