ତୁମ ଗାଁ ମୋ ଗାଁ – Delhi Poetry Slam

Submit your poems to Wingword Poetry Competition 2026 ✍️🥇

ତୁମ ଗାଁ ମୋ ଗାଁ

By Mamata Dash

ନଈ ସେପାରିରୁ, ତୁମ ଗାଁ ନାଉରୀ
ନାଆ ବାହି ଯେବେ ଆସେ,
ନଈ ଏପାରିରେ ଲୋକଗୁଡା ଛାଡି,
ଫେରିଯାଏ କି ଉଲ୍ଲାସେ,

ତୁମ ଗାଁ ହାଟରୁ ପାନ ଗୁଆ, ଖଇ
ନୂଆ ଲୁଗା ପଟା, ଗାଣ୍ଡୁଆ, ଭୋଗେଇ
ଆମ ଗାଁ ଲୋକେ ପରଖି ସେସବୁ କିଣନ୍ତି,
ରଜ ଯାତରାକୁ ଡକାଡକି ହୋଇ,
ଗାଁ ଝିଅ ବୋହୁ ଯାଆନ୍ତି,

ଆମ ଗାଁ ପଙ୍ଗତେ ତୁମ ଗାଁ ଡାକରା
କେତେ ଭୋଜି ଭାତ ଖିରି ଓ କାକରା
ସାଙ୍ଗ ହୋଇ ବସି ଖାଆନ୍ତି,
ଯାନୀ ଯାତରା ବା ବାହା, ପରବରେ
ହସି ଖୁସି ମିଶି ଯାଆନ୍ତି,

ଆମ ଗାଁ ଗହୀରେ କେତକୀ ଫୁଟିଲେ
ତୁମ ଗାଁ ମୁଣ୍ଡ ବାସେ,
ତୁମ ଗାଁ ବିଲରୁ ହୁକା ହୁଆ ଡାକ
ମୋଗାଁ ପବନେ ମିଶେ,

କାର୍ତିକ ପୁନେଇଁ ଶୀତୁଆ ଭୋରୁ
କଦଳୀ ଫାଟୁଆ ବୋଇତ,
ଥରି ଥରି ଯାଇ ଭସାଉ ସଭିଏଁ
ସେପାରିରେ ଯାଇ ଲାଗେତ,

ବାଲିଗରଡ଼ାକୁ ଗୋଟାଇବା ପାଇଁ
ଏପରିରୁ ଯାଏ ସେପାରି,
ଆଣ୍ଠୁଏ ପାଣିରୁ ଛାଣି ଆଣେ କିଛି
ଦେଖୁଥାଏ ମନ ଭରି,

ନାହିଁ ସେଇ ମଜା, ମୋପିଲାଦିନର
କେଉଁ କାଳୁ ହଜିଲାଣି,
ନଈ ଗାଧୁଆ ବି ସପନ ହେଲାଣି
ସାହା ଏବେ କଲପାଣି,

ପ୍ରଦୂଷିତ ଜଳ ଗଙ୍ଗୁଆ ନଦୀ ନାଳ
କଳା ଦିଶିଲାଣି ତୁଠ,
ନଈ ମୋର ଆଉ ନଈ ହୋଇ ନାହିଁ
ଝୁରେ ପିଲାଦିନ ମୁଁତ,

ସପନ ଲାଗୁଛି ପୁରୁଣା ଦିନଟା
ନୂଆଲାଗେ ହୀନିମାନ,
ସତେକି ଫେରିବ ମୋ ଗାଁ ଭୂଇଁ ର
ସାଧାସିଧା ପିଲାଦିନ!!!


Leave a comment