ଜୀବନରେ ବଞ୍ଚିବା କଣ ଏତେ ସହଜ? – Delhi Poetry Slam

Submit your poems to Wingword Poetry Competition 2026 ✍️🥇

ଜୀବନରେ ବଞ୍ଚିବା କଣ ଏତେ ସହଜ?

By Sampurna Mohanty

ଜୀବନରେ ବଞ୍ଚିବା କଣ ଏତେ ସହଜ?
କିଏ କହେ ହଁ, ତ କିଏ କହେ ନା,

ସମସ୍ତେ ଭାବନ୍ତି, ଶରୀର ତ୍ୟାଗ ପରେ ଚଢିବାକୁ ପଡିଥାଏ ଜୁଇ,
ହେଲେ ମୋ ମତରେ, ସବୁଦିନ ଏଠି ପଡିଥାଏ ଚଢିବାକୁ ଜୁଇ |
ସେ ଜୁଇରେ ଶରୀର ବିଲଗ୍ନ ହୋଇ, ମୁକ୍ତ ହୋଇଥାଏ ଆତ୍ମା,
କିନ୍ତୁ ଏ ଜୁଏରେ,ଶରୀର ବି ଜଳୁଥାଏ ଆଉ ଜଳୁଥାଏ ସଦା ଆତ୍ମା |
ସେ ଜୁଇର ପାଉଁଶ,ବିସର୍ଜନ ହୋଇଥାଏ ପାଣିରେ,
କିନ୍ତୁ ଏ ଜୁଇ ପାଉଁଶ, ବିସର୍ଜନ ହୋଇଥାଏ ଆଖିର ଲୁହରେ || ୧ ||

ଜୀବନରେ ବଞ୍ଚିବା କଣ ଏତେ ସହଜ?.......

ବେଳେବେଳେ ଲାଗେ ସତେ ଯେମିତି ସମୁଦ୍ର ଗର୍ଭରେ ଯାଇଛେ ଟାଣି ହୋଇ,
ନିଶକ୍ତ ଆମ ହାତଗୋଡ ଛଟପଟ ହୁଏ, କୂଳକୁ ଫେରିବା ପାଇଁ..
ହେଲେ ଫେରିତ ପାରୁନା କୂଳରେ ଲାଗୁନା ଯେତେ କରୁଥାଉ ଚେଷ୍ଟା,
ସମୁଦ୍ର ଢେଉ ରେ ଫେରିଯାଏ ଆମ ସବୁ ସ୍ଵପ୍ନ ଆଉ ଆସ୍ଥା...|| ୨ ||

ଜୀବନରେ ବଞ୍ଚିବା କଣ ଏତେ ସହଜ?........

ପକ୍ଷୀଟିଏ ତାର ଡେଣା ଝାଡୁଥାଏ, ମୁକ୍ତ ଆକାଶରେ ଉଡିବା ପାଇଁ,
ଆମେ ସବୁ ଏଠି ଛଟପଟ ହେଉ ଖୁସିରେ ରହିବା ପାଇଁ |
ହେଲେ ଖୁସି ତ ମିଳେନା, ଉଡିତ ପାରୁନା ଯେତେଥର ଚେଷ୍ଟା କଲେ,
କ୍ଲାନ୍ତ ହୋଇ ଖାଲି ଥକିପଡ଼ୁ ଆମେ ନିରବଛନ୍ନ ମନରେ....|| ୩ ||

ଜୀବନରେ ବଞ୍ଚିବା କଣ ଏତେ ସହଜ? .....

ଚାତକ ପକ୍ଷୀଟି ଚାହିଁଥାଏ ସଦା ବର୍ଷା ବୁନ୍ଦଟିଏ ପାଇଁ,
ସେ ପକ୍ଷୀ ସଦୃଶ୍ୟ ଆମେ ଚାହିଁଥାଉ ଶାନ୍ତି ଆଉ ହସ ପାଇଁ |
ହେଲେ ଶାନ୍ତି ତ ମିଳେନା ହସ ତ ଝରେନା ଯେତେ କରୁଥାଅ ଚେଷ୍ଟା,
ତଥାପି ଏ ମନ ଲଢ଼ୁଛି ସର୍ବଦା କରୁଥିବା ସଦା ପ୍ରଚେଷ୍ଟା....|| ୪ ||


ଦିନେନା ଦିନେ ସେ ମୁକ୍ତି ତ ପାଇବ, ଲାଗିବ ଦିନେ ସେ କୂଳେ.....

ପିଞ୍ଜରା ଭାଙ୍ଗି ସେ ଖୁସିରେ ଉଡ଼ିବ, ନାଚିବ ନୀଳ ଢେଉରେ.....

ଶାନ୍ତିର ବର୍ଷାରେ ଭିଜିବ ସେ ଦିନେ, ନିଜକୁ ଦେହେ ହଜେଇ........

ସେ ଭିଜା ବାସ୍ନାରେ ମଗ୍ନ ହୋଇଯିବ ସବୁ ଆଶା ସ୍ବପ୍ନ ନେଇ........

ସବୁ ଆଶା ସ୍ବପ୍ନ ନେଇ........
ସବୁ ଆଶା ସ୍ବପ୍ନ ନେଇ........


Leave a comment